June 5, 2026

ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

1 min read

ପିପିଲି: ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଗତ ସରକାରଗୁଡ଼ିକର ଅଦୂରଦର୍ଶିତା ଯୋଗୁଁ ଏହି ବିଶ୍ୱପ୍ରସିଦ୍ଧ କାରିଗରମାନେ ବର୍ଷ ବର୍ଷ ଧରି ନିଜର ହକ୍‌ରୁ ବଞ୍ଚିତ ହେଉଥିଲେ । ଆଜିର ଏହି ଶିଳାନ୍ୟାସ ସେହି ସ୍ୱାର୍ଥପର ରାଜନୀତି ବିରୁଦ୍ଧରେ ଏକ ଦୃଢ଼ ଜବାବ ବୋଲି ମତଦେଇ ଆମ ସରକାର କେବଳ ଶିଳାନ୍ୟାସ କରେନାହିଁ, ବରଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରି ଉଦ୍‌ଘାଟନ କରିବାର ରେକର୍ଡ ରଖିଛି ବୋଲି ମୁଖ୍ୟମନ୍ତୀ ମୋହନ ଚରଣ ମାଝୀ ପିପିଲି ଠାରେ ଆୟୋଜିତ ଚାନ୍ଦୁଆ ହସ୍ତଶିଳ୍ପ ହବ୍‍ ର ଶିଳାନ୍ୟାସ କରିବା ଅବସରରେ ପ୍ରକାଶ କରିଛନ୍ତି । ପିପିଲିର ଜବାହର ବିଦ୍ୟାପୀଠ ଖେଳପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗୁରୁବାର ସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍‍ ର ସୁଇଚ୍‍ ଟିପି ଶିଳାନ୍ୟାସ କରିଥିଲେ । ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି ସମନ୍ୱିତ “କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍”ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜି.ଆଇ. ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଉପକୃତ ହେବେ। କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ଏକ କଞ୍ଚାମାଲ ବ୍ୟାଙ୍କ ସ୍ଥାପନ କରାଯିବ। ଏହାସହ ଇ-କମର୍ସ ଯୁଗକୁ ଲକ୍ଷ୍ୟ କରି କାରିଗର, ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ଓ ଭଉଣୀମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଏବଂ ପ୍ୟାକେଜିଂର ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯିବ। ଜିଆଇ ମାନ୍ୟତାପ୍ରାପ୍ତ ଏହି ବିଶ୍ୱପ୍ରସିଦ୍ଧ କଳାର ସୁରକ୍ଷା, ସଂରକ୍ଷଣ, ପ୍ରସାର, ଆଧୁନିକକରଣ ଓ ବ୍ୟବସାୟିକ ବୃଦ୍ଧି ପାଇଁ ଏହା ଏକ ଭଲ ପଦକ୍ଷେପ ଓ ଆଗାମୀ ଦିନରେ ସାରା ବିଶ୍ୱଦେଖିବ ଏହି ପିପିଲି ହସ୍ତକଳାକୁ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୩୬ ଓଡ଼ିଶା ଗଠନର ଶତବାର୍ଷିକୀ ଓ ୨୦୪୭ ସ୍ୱାଧୀନତାର ଶତବର୍ଷ ପୂର୍ତ୍ତିକୁ ଆଖି ଆଗରେ ରଖି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହି ହବ୍ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଶ୍ୱର ପ୍ରତ୍ୟେକ କୋଣରେ ପିପିଲିର ହସ୍ତକଳା ପହଞ୍ଚିବା ଆମର ଲକ୍ଷ୍ୟ ଓ ଏହାଦ୍ୱାରା ବିଶ୍ୱ ଦରବାରରେ ଓଡିଆ ଅସ୍ମିତାର ଜୟଜୟକାର ହେବ । ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ପିପିଲିର ଏହି ଚାନ୍ଦୁଆ ହସ୍ତଶିଳ୍ପ ହବ୍‍ ଏକ ଦୃଢ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।