ଜଣେ ବୃଦ୍ଧଙ୍କୁ ସାପ ବନ୍ଧନ
1 min read
ହରଭଙ୍ଗା :ବିଭିନ୍ନ ଚଳଚିତ୍ର, ରାମାୟଣ ଭଳି ପୌରାଣିକରେ ସମସ୍ତେ ସର୍ପ ବନ୍ଧନ କଥା ଶୁଣିଥିବେ ଦେଖିଥିବେ ମଧ୍ୟ ।କିନ୍ତୁ ବାସ୍ତବରେ ଜଣେ ବୃଦ୍ଧଙ୍କୁ ସାପ ବନ୍ଧନ କରି ରଖିଥିବା କଥା କାନକୁ ଅଡୁଆ ଲାଗିଲେ ବି ସତ,ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ଗ୍ରାମରେ ।ସୂଚନା ମୁତାବକ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ଼ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ। ଗତକାଲି ବିଳମ୍ବିତ ରାତିରେ ସେ ଘରେ ଶୋଇଥିଲେ ।ଘରର ଝରକା ଖୋଲା ଥିଲା। ଏହି ସମୟରେ ଝରକା ଦେଇ ଏକ ବିଷଧର ସାପ ଘର ଭିତରକୁ ପଶି ଆସିଥିଲା ଏବଂ ଶୋଇଥିବା ସମୟରେ କୃଷ୍ଣଙ୍କ ଶରୀର ଉପରକୁ ଚଢ଼ି ଯାଇଥିଲା। କୃଷ୍ଣ ଯେତେବେଳେ ଏହା ଜାଣିବାକୁ ପାଇଲେ, ସେତେବେଳେ ସେ ହଠାତ୍ ଉଠି ପାରିନଥିଲେ କି କାହାକୁ ଡାକି ପାରିନଥିଲେ। କାରଣ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ରହିଛି। କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସାପଟି କୃଷ୍ଣଙ୍କ ହାତକୁ ଏକ ଚେୟାର ସହ ଜୋରରେ ଗୁଡ଼ାଇ ବାନ୍ଧି ସାରିଥିଲା। ପରେ କୃଷ୍ଣଙ୍କ ବିକଳ ପାଟି ଶୁଣି ଯେତେବେଳେ ପରିବାର ଲୋକେ ଏହା ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ଶେଷରେ ପରିବାର ଲୋକଙ୍କ ପ୍ରାୟ ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସାପ କବଳରୁ କୃଷ୍ଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ସାପଟି କୁ ଘର ବାହାରକୁ ସୁରକ୍ଷିତ ଛାଡି ଦିଆଯାଇଥିଲା । ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


