May 17, 2026

ଓଡ଼ିଶାରେ ତୈଳ ସଙ୍କଟ ସ୍ଥିତି

1 min read

ଭୁବନେଶ୍ୱର, ୧୭।୫: ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ଲୋକମାନେ ଲମ୍ୱା ଲାଇନ୍‌ରେ ପେଟ୍ରୋଲ, ଡିଜେଲ ନେବାକୁ ଅପେକ୍ଷା କରି ରହିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସହରଗୁଡ଼ିକରେ ରହିଥିବା ପେଟ୍ରୋଲ ପମ୍ପଗୁଡ଼ିକୁ ପୂର୍ୱାପେକ୍ଷା ଅଧିକ ଯୋଗାଣ କରାଯାଉଥିବା ନେଇ ବିଭିନ୍ନ ତୈଳ କମ୍ପାନୀର ଅଧିକାରୀମାନେ ବାରମ୍ୱାର କହୁଥିଲେ ସୁଦ୍ଧା ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ଭଳି ଲାଗୁଛି। କାରଣ ଗତ ୪ଦିନ ଧରି ପେଟ୍ରୋଲ୍‌ପମ୍ପଗୁଡ଼ିକରେ ଲୋକମାନଙ୍କ ଲମ୍ୱା ଲାଇନ୍‌ ଲାଗିବା କମିନାହିଁ। ଅପରପକ୍ଷରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ସଙ୍କଟସ୍ଥିତି ଦେଖି କେତେକ ଅସାଧୁ ବ୍ୟକ୍ତି କଳାବଜାରରେ ମାତି ଗଲେଣି। ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ହାତେଇ ତୈଳ ନେଇ ବାହାରେ ଖୋଲାରେ ଲିଟର ପିଛା ୨୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ଶନିବାର ଖୋର୍ଦ୍ଧା ଜିଲାରେ ଖୋଲାରେ ତୈଳ ବିକ୍ରି ହେଉଥିବା ଅଭିଯୋଗ ପାଇବା ପରେ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ଅଧିକାରୀ ଚଢ଼ାଉ କରି ୫୦୫ ଲିଟର ଡିଜେଲ ଜବତ କରିଛନ୍ତି।
ଭୁବନେଶ୍ୱରରୁ ଆସୁଥିବା ତୈଳ ସଙ୍କଟ ଖବର ଉପରୁ ଦୃଷ୍ଟି ହଟାଇବା ଲାଗି ଗ୍ରାମାଞ୍ଚଳ ଏବଂ ଜିଲା ପାଖଆଖର ଅନେକ ଗୁଡିଏ ପେଟ୍ରୋଲ ପମ୍ପକୁ ତୈଳ ପହଞ୍ଚି ନ ପାରିବାରୁ ସେଗୁଡିକ ବନ୍ଦ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳ ବା ଜିଲା ମୁଖ୍ୟାଳୟ ପାଖାପାଖି ଯେଉଁ କେତୋଟି ପମ୍ପରେ ତୈଳ ଗାଡ଼ି ପହଞ୍ଚିଛି ସେଠାକୁ ଆବଶ୍ୟକ ମୁତାବକ ଲୋଡ୍‌ ଦେବାରେ ତୈଳ କମ୍ପାନୀ ସକ୍ଷମ ହୋଇପାରି ନ ଥିବା ଜଣାପଡିଛି। ଏହାରି ଭିତରେ ପେଟ୍ରୋଲ ଓ ଡିଜେଲର କଳାବଜାର ବହୁତ ମାତ୍ରାରେ ବଢିଯାଇଛି। ଛୋଟ ଛୋଟ ଦୋକାନୀମାନେ ବିଭିନ୍ନ ପେଟ୍ରୋଲ ପମ୍ପରୁ ତେଲ ନେଇ ଏବେ ଲୋକମାନଙ୍କୁ ଖୋଲାରେ ପାଖାପାଖି ୨୫୦ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ବିକ୍ରି ଆରମ୍ଭ କରିଛନ୍ତି। ସ୍ଥିତି ବର୍ତ୍ତମାନ ଏଭଳି ହେଲାଣି ଖୋଲା ବଜାରରେ ଯେଉଁମାନେ ତୈଳ ରଖିଛନ୍ତି ସେମାନେ ମନକୁ ଯେତିକି ଆସିଲା ସେତିକି ଦର ନିର୍ଦ୍ଧାରିତ କରି ପେଟ୍ରୋଲ ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପରେ ଲମ୍ୱା ଧାଡ଼ିରେ ଦୀର୍ଘସମୟ ଧରି ଅପେକ୍ଷା କରୁଥିବା ଲୋକମାନେ ବିଭିନ୍ନ କାରଣରୁ ନିଜ ନିଜ ମଧ୍ୟରେ ଝଗଡ଼ା କରିବା ଯୋଗୁ ଗଣ୍ଡଗୋଳ ସ୍ଥିତି ମଧ୍ୟ ଉପୁଜୁଛି। ଏସବୁ ସତ୍ତ୍ୱେ ତୈଳ କମ୍ପାନୀଗୁଡ଼ିକ କେଉଁଥିଲାଗି ପେଟ୍ରୋଲ, ଡିଜେଲକୁ ନେଇ ଏଭଳି ସମସ୍ୟା ସୃଷ୍ଟି ହୋଇଛି ସେକଥା ନ କହି ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ରହିଛି ବୋଲି ଖାଲି ମତ ରଖୁଛନ୍ତି।
ଶନିବାର ତୈଳ ସଙ୍କଟକୁ ନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସହିତ ମନ୍ତ୍ରୀ ଆଲୋଚନା କରିଛନ୍ତି। ଏଥିରେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌)ର ସିଜିଏମ୍‌ କମଲ ସିଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ର ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କମଲ୍‌ ସିଲ୍‌ କହିଛନ୍ତି, ସବୁ ପେଟ୍ରୋଲ ପମ୍ପରେ ତୈଳ ଷ୍ଟକ୍‌ ରହିବ। ରାଜ୍ୟବାସୀଙ୍କୁ ନିବେଦନ ଭୟଭୀତ ହେବାର ଆବଶ୍ୟକତା ନାହିଁ। ପମ୍ପଗୁଡିକରେ ଲୋକମାନେ ଲମ୍ୱା ଲାଇନ୍‌ ଲଗାଇବାର ଦରକାର ନାହିଁ। ଯଦି କୌଣସି ପମ୍ପରେ ତୈଳ ନାହିଁ ତେବେ ଆଗକୁ ଯାଇ ଯେଉଁ ପମ୍ପ ଅଛି ସେଠାରୁ ତୈଳ ନିଅନ୍ତୁ। ଯେତିକି ଟଙ୍କାର ତୈଳ ଆବଶ୍ୟକ ସେତିକି ଲୋକମାନେ ନିଅନ୍ତୁ। ଯେଉଁ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ ରହିଛି, ତା’ର ଖବର ଆସିବା ମାତ୍ରେ ସେଠାକୁ ତୈଳ ପଠାଯାଉଛି ବୋଲି ସିଲ୍‌ କହିଛନ୍ତି।
ଅନ୍ୟପଟେ ରାଜ୍ୟ ବସ୍‌ ଆସୋସିଏଶନ୍‌ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ମୋଟ୍‌ ୧୪ ହଜାର ଘରୋଇ ବସ୍‌ ଚଳାଚଳ କରୁଥିବା ବେଳେ ପ୍ରଥମ ଦିନ ଯେତେବେଳେ ସଙ୍କଟ ହେଲା ସେତେବେଳେ ୨ ହଜାର ବସ୍‌ ବନ୍ଦ ହୋଇଥିଲା। ଶୁକ୍ରବାର ସେଥିରୁ ୧ ହଜାର ବସ୍‌ ପୁଣି ଚଳାଚଳ କରିଥିଲା। ଏହାପରେ ତୈଳ କମ୍ପାନୀଗୁଡ଼ିକର ଅଧିକାରୀ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) କମିଶନର ଅମିତାଭ ଠାକୁର ଏବଂ ବସ୍‌ ଆସୋସିଏଶନ ମଧ୍ୟରେ ବସ୍‌ଗୁଡ଼ିକ କିପରି ତୈଳ ସୁବିଧାରେ ପକାଇବେ ସେନେଇ ବୈଠକ ହୋଇଥିଲା। ଏହାପରେ ଏସ୍‌ଟିଏ କର୍ତ୍ତୃପକ୍ଷ, ପୋଲିସ୍‌ ମିଳିତ ଉଦ୍ୟମରେ ବସ୍‌ ଗୁଡିକରେ ତେଲ ପକାଯାଉଛି। ଶନିବାର ପ୍ରାୟ ୨ ହଜାର ବସ୍‌ ବନ୍ଦ ହୋଇଥିବା ଦେବେନ୍ଦ୍ର କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ବସ୍‌ ଆସୋସିଏଶନ୍‌ ସହିତ ବୈଠକ ପରେ ସେଗୁଡ଼ିକରେ ପ୍ରଶାସନ ସହାୟତାରେ ତୈଳ ପଡ଼ିପାରୁଛି। ଅନ୍ୟପଟେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପମ୍ପରେ ଲମ୍ୱା ଧାଡ଼ିରେ ଅପେକ୍ଷା କରୁଥିବା ଲୋକଙ୍କୁ ପାଣି ବୋତଲ ବଣ୍ଟନ କରାଯାଇଛି। ଯୋଗାଣ ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଲୋକଙ୍କ ଅସନ୍ତୋଷ ବଢିବା ପରେ କିଛି ଚାପ କମାଇବାକୁ ବସ୍‌ ଚଳାଚଳରେ ସୁବିଧା ଆଣିବା ଏବଂ ଲୋକଙ୍କୁ ପାଣି ବାଣ୍ଟିବା ଭଳି କାର୍ଯ୍ୟ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଦେଖା ଦେଇଥିବା ତୈଳ ସଙ୍କଟ କାରଣରୁ କୃଷି କାର୍ଯ୍ୟକ୍ରମ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। କୃଷି କାର୍ଯ୍ୟ ଲାଗି ଯେତିକି ଡିଜେଲ୍‌ର ଆବଶ୍ୟକତା ରହିଛି ତାହା ଏବେ ମିଳିବାରେ ଅସୁବିଧା ସୃଷ୍ଟି ହୋଇଛି। ଏପରି କି ଡିଜେଲରେ ଚାଲୁଥିବା ଡଙ୍ଗାଗୁଡ଼ିକ ମଧ୍ୟ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜେଲ ସରିଯିବା କାରଣରୁ ଚିଲିକାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଡଙ୍ଗା ୨ଦିନ ଧରି ପାଣିରେ ଫସି ରହିଥିବା ଦେଖିବାକୁ ମିଳିଛି।