କେନ୍ଦୁଝର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ଏହାର ପାଇଲଟ ପ୍ଲାଣ୍ଟର ସଫଳ ପରୀକ୍ଷଣ
1 min read
ଭୁବନେଶ୍ୱର,୧୭।୫: ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଟିନମ୍ର ଚାହିଦା ମଧ୍ୟ ବଢ଼ିିଛି । କେନ୍ଦୁଝର ଜିଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଓଡ଼ିଶା ଖଣି ନିଗମ (ଓଏମ୍ସି) ଏହାର ପାଇଲଟ ପ୍ଲାଣ୍ଟର ସଫଳ ପରୀକ୍ଷଣ କରିଛି। ଏହା ଦେଶର ପ୍ରଥମ ବୋଲି କୁହାଯାଉଛି। ଏହାଦ୍ୱାରା ରାଜ୍ୟରେ ସ୍ୱଚ୍ଛ ଇନ୍ଧନ, ଇଲେକ୍ଟ୍ରୋନିକ୍ସ ଓ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ମୌଳିକ ଭିତ୍ତିଭୂମି ଯୋଗାଇ ଦେବାରେ ଓଏମ୍ସି ପ୍ରମୁଖ ଭୂମିକା ନିର୍ୱାହ କରିବ ବୋଲି ଏହାର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
କେନ୍ଦୁଝର ଜିଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ(ଉପାଦାନ) ଉତ୍ତୋଳନ କରିବାରେ ଓଡ଼ିଶା ଖଣି ନିଗମ(ଓଏମ୍ସି) ଏହାର ପାଇଲଟ୍ ପ୍ଲାଣ୍ଟର ସଫଳ ପରୀକ୍ଷଣ କରିଛି। ଏହାଦ୍ୱାରା ଓଡ଼ିଶାରେ କ୍ଲିନ୍ ଏନର୍ଜି, ଇଲେକ୍ଟ୍ରୋନିକ୍ସ ଓ ଆଧୁନିକ ମୋଟର ଗାଡ଼ି ନିର୍ମାଣ ପାଇଁ ମୌଳିକ ଧାତୁ ଯୋଗାଇଦେବାରେ ଓଏମ୍ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୩୬ ସମୃଦ୍ଧ ଓଡ଼ିଶା ପରିକଳ୍ପନାକୁ ସାକାର କରିବାରେ ଓଏମ୍ସିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ବର୍ତ୍ତମାନ ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍ ଭଳି କଞ୍ଚାମାଲର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଥିଲେ ହେଁ ପ୍ଲାଟିନମ୍ର ଚାହିଦା ଆହୁରି ବୃଦ୍ଧି ପାଇଛି। ଓଡ଼ିଶାରେ ଏହି ପାଇଲଟ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ୱାରା ପ୍ଲାଟିନମ୍ ସହିତ ଏ ଶ୍ରେଣୀୟ ଧାତୁ ଗୋଷ୍ଠୀ ଅନ୍ତର୍ଗତ ପାଲାଡିୟମ୍,ରୋଡିୟମ୍,ରୁଥେନିୟମ୍, ଇରିଡିୟମ୍ ଏବଂ ଓସ୍ମିୟମ୍ ଭଳି ଅତ୍ୟନ୍ତ ମୂଲ୍ୟବାନ ଧାତୁ ମଧ୍ୟ ଉତ୍ପାଦନ ହୋଇପାରିବ। ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଏହିସବୁ ଧାତୁର ଉପଯୋଗ ଚାହିଦା ଯଥେଷ୍ଟ ରହିଥିବାରୁ ଓଡ଼ିଶା ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଓଏମ୍ସିର ଏହି ପ୍ରକଳ୍ପ ଦେଶର ପ୍ରଥମ ପଦକ୍ଷେପ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଖଣି ନିଗମ ଏହି ବର୍ଦ୍ଧିତ ଚାହିଦାକୁ ନିରନ୍ତର ଭାବେ ପୂରଣ କରିବା ସହ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଲୋକସେବା ଭବନରେ ଶନିବାର ଆୟୋଜିତ ଓଡ଼ିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୬୦ ଦଶକରେ ମାତ୍ର ୧ କୋଟି ଟଙ୍କାର ଆର୍ଥିକ କାରବାରରୁ ଯାତ୍ରା ଆରମ୍ଭ କରିଥିବା ଓଏମ୍ସି ୨୦୨୫-୨୬ ଆର୍ଥିକ ବର୍ଷରେ ୨୫ ହଜାର କୋଟି ଟଙ୍କାର କାରବାର କରିଛି। ଏହାସହ ୪୫ ନିୟୁତ ଟନ୍ ଖଣିଜ ଉତ୍ତୋଳନ ଜରିଆରେ ସର୍ୱକାଳୀନ ରେକର୍ଡ ସୃଷ୍ଟିକରି ଦେଶର ଏକ ଅଗ୍ରଣୀ ଖଣି ସଂସ୍ଥା ଭାବେ ପ୍ରତିଷ୍ଠା ହାସଲ କରିଛି। ଏବେ ସମୟ ଆସିଛି, ଓଡ଼ିଶା ଖଣି ନିଗମ ତା’ର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରି ଦେଶର ଅନ୍ୟାନ୍ୟ ରାଜ୍ୟରେ ଯେପରି ଖଣିଭିତ୍ତିକ କାର୍ଯ୍ୟକଳାପ ଆରମ୍ଭ କରିବ। ଓଡ଼ିଶା ଖଣି ନିଗମ ପାଖରେ ଆହୁରି ମଧ୍ୟ କଞ୍ଚାମାଲ ଉପଲବ୍ଧ ଅଛି। ଖଣିଭିତ୍ତିକ କାର୍ଯ୍ୟକଳାପ ସହ ଶିଳ୍ପାୟନ ପ୍ରତି ଦୃଷ୍ଟିଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଦୀର୍ଘ ୭ ଦଶନ୍ଧିରୁ ଅଧିକ ସମୟ ଧରି ଓଏମ୍ସି କେବଳ ଏକ ବ୍ୟବସାୟିକ ସଂସ୍ଥା ଭାବେ ନୁହେଁ ବରଂ ଓଡ଼ିଶାର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ନିଗମ ତା’ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ପ୍ରଦାନ କରିଆସୁଛି। ରାଜ୍ୟରେ ମୂଲ୍ୟବାନ୍ ଖଣିଜ ସମ୍ପଦକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାରକରି ଓଏମ୍ସି ବର୍ତ୍ତମାନ ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରଖୁଛି। ପରିବେଶ ସୁରକ୍ଷା, ସୁରକ୍ଷିତ ଖଣି ପରିଚାଳନା ଏବଂ ଖଣି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଓଏମ୍ସି ନିରନ୍ତର ଉଦ୍ୟମ ଜାରି ରଖିଛି। ସିଏସ୍ଆର୍ ପଦକ୍ଷେପ ମାଧ୍ୟମରେ ଖଣି ଅଞ୍ଚଳଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ମହିଳା ସଶକ୍ତୀକରଣ, କ୍ରୀଡ଼ା, ଭିତ୍ତିଭୂମି ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଅଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ମେଶିନ ସହ ସ୍ଥାନୀୟ ବାସିନ୍ଦାଙ୍କୁ ଖଣି କ୍ଷେତ୍ରରେ ଅଧିକ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଗମକୁ ପରାମର୍ଶ ଦେଇଛନ୍ତି। କାଳିଆପାଣିଠାରେ ନବନିର୍ମିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍, ଖଣି ଅଞ୍ଚଳବାସୀଙ୍କ ପାଇଁ ୮ଟି ଅତ୍ୟାଧୁନିକ ବେସିକ୍ ଲାଇଫ୍ ସପୋର୍ଟ ଆମ୍ୱୁଲାନ୍ସ, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଓ-ସ୍ୱାସ୍ଥ୍ୟ ନାମକ ଏକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାସହ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ରିଜିଅନକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଡି.କେ. ସିଂ ଓଡ଼ିଶାରେ ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଓଏମ୍ସିର ଅତୁଳନୀୟ ଯୋଗଦାନ ରହିଥିବା କହିଛନ୍ତି। ଏହି ଅବସରରେ ଓଏମ୍ସି ଅଧ୍ୟକ୍ଷ ଗିରୀଶ ଏସ୍ଏନ୍ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।


