NEET-UG ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା
1 min read
ନୂଆଦିଲ୍ଲୀ,୧୫।୫: NEET-UG ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ NEET-UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ ମେ ୩ ତାରିଖରେ ଅନୁଷ୍ଠିତ ପରୀକ୍ଷା ପେପର ଲିକ୍ ଯୋଗୁଁ ବାତିଲ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET-UG ୨୦୨୬ ର ପୁନଃପରୀକ୍ଷା ପାଇଁ ଜୁନ୍ ୨୧(ରବିବାର) ତାରିଖ ଧାର୍ଯ୍ୟ କରିଛି। NTA ପ୍ରାର୍ଥୀ ଏବଂ ଅଭିଭାବକମାନଙ୍କୁ NTA ର ସରକାରୀ ଚ୍ୟାନେଲ ଉପରେ କେବଳ ନିର୍ଭର କରିବାକୁ ଅନୁରୋଧ କରିଛି। ଏଥିପାଇଁ, ଏଜେନ୍ସି neet-ug@nta.ac.in ଇମେଲ ମାଧ୍ୟମରେ କିମ୍ବା 011-40759000 କିମ୍ବା 011-69227700 ରେ କଲ୍ କରି ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି।
ପ୍ରକାଶଥାଉକି, ଗୁରୁବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହା ଦ୍ୱାରା ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET-UG) ପୁନଃ ପରିଚାଳନା ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ସରକାରୀ ସୂତ୍ର ଅନୁଯାୟୀ ବୈଠକରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ସହିତ ଜଡିତ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବୈଠକରେ ସଚିବ (ଉଚ୍ଚଶିକ୍ଷା) ବିନୀତ ଯୋଶୀ, ସଚିବ (ସ୍କୁଲ ଶିକ୍ଷା) ସଞ୍ଜୟ କୁମାର, ଜାତୀୟ ପରୀକ୍ଷା ଏଜେନ୍ସି (NTA) ମହାନିର୍ଦ୍ଦେଶକ ଅଭିଷେକ ସିଂହ, CBSE ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ଏବଂ ନବୋଦୟ ବିଦ୍ୟାଳୟ ସମିତି (NVS) ର କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। NTA ପକ୍ଷରୁ ପରୀକ୍ଷାକୁ ନେଇ ଅନିୟମିତତାର ଅଭିଯୋଗ ମଧ୍ୟରେ ମେ ୩ ତାରିଖରେ ଅନୁଷ୍ଠିତ ପରୀକ୍ଷା ବାତିଲ କରିବାର ଘୋଷଣା ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।


