ଭୁବନେଶ୍ୱରର ବିକାଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ସମ୍ମିଳିତ ଉଦ୍ୟମ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ
1 min read
ଭୁବନେଶ୍ୱର, ଏପ୍ରିଲ ୧୩: ଭୁବନେଶ୍ୱରର ବିକାଶ ସରକାର ଓ ନାଗରିକଙ୍କ ସାମୁହିକ ଦାୟିତ୍ୱ I ଭୁବନେଶ୍ୱରକୁ ଉନ୍ନତିର ଉଚ୍ଚତରସ୍ତରକୁ ନେବାର ଦାୟିତ୍ୱ କେବଳ ସରକାରର ନୁହେଁ, ନାଗରିକଙ୍କ ମଧ୍ୟ ସମାନ ଦାୟିତ୍ୱ ରହିଛି। ଏଣୁ ଭୁବନେଶ୍ୱରର ବିକାଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ନିମନ୍ତେ ସମ୍ମିଳିତ ଉଦ୍ୟମ ପାଇଁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି ।ଏତତବ୍ୟତୀତ ସେମାନେ ସକ୍ରିୟ ଭାବେ ନଗରର ଐତିହ୍ୟର ସଂରକ୍ଷଣ ଓ ଭବିଷ୍ୟତ ଗଠନରେ ଅବଦାନ ରଖିବାକୁ ରାଜ୍ୟପାଳ କହିଛନ୍ତି I
ସୋମବାର ଦିନ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ନାଗରିକମାନଙ୍କୁ ସ୍ଥାୟୀ ଓ ସ୍ଥିର ଜୀବନଶୈଳୀ ଗ୍ରହଣ କରି ପରିବେଶ ସଚେତନ, ପ୍ରଦୂଷଣମୁକ୍ତ ଓ ପରିଷ୍କାର ପରିଚ୍ଛନ ମହାନଗର ଗଠନ ପାଇଁ ଆହ୍ୱାନ ଜଣାଇଥିଲେ । ସାମୁହିକ ପ୍ରୟାସ ଦ୍ୱାରା ରାଜଧାନୀକୁ ସମାବେଶୀ, ଆଧୁନିକ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।
ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରବାସୀ ତଥା ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ଭୁବନେଶ୍ୱର ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସହ ଆଧୁନିକ ଭାରତର ଆକାଂକ୍ଷାକୁ ସମ୍ମାନ ଦେଉଛି। ରାଜଧାନୀର ନକସା ଓ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଟ୍ଟୋ କୋଏନିଗ୍ସବର୍ଗର୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼. ହରେକୃଷ୍ଣ ମହତାବଙ୍କ ଦୂରଦର୍ଶୀ ନେତୃତ୍ୱକୁ ମଧ୍ୟ ରାଜ୍ୟପାଳ ଏହି ଅବସରରେ ସ୍ମରଣ କରିଥିଲେ।
ଐତିହାସିକ ପରମ୍ପରା ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଭୁବନେଶ୍ୱର ପ୍ରାଚୀନ କଳିଙ୍ଗର ଐତିହ୍ୟରେ ଗଭୀର ଭାବେ ପ୍ରତିଫଳିତ ଏବଂ କଳିଙ୍ଗ ଯୁଦ୍ଧ ପରି ପରିବର୍ତ୍ତନକାରୀ ଘଟଣା ସହ ଜଡ଼ିତ, ଯାହା ସମ୍ରାଟ ଅଶୋକଙ୍କୁ ଶାନ୍ତିର ବାର୍ତ୍ତା ପ୍ରଚାର କରିବା ପାଇଁ ପ୍ରେରଣା ଦେଇଥିଲା I ଖାରବେଳଙ୍କ ସମୟରେ ଜୈନଧର୍ମର ବିକାଶ ଏବଂ ଉଦୟଗିରି-ଖଣ୍ଡଗିରି ଗୁମ୍ଫାର ସ୍ଥାୟୀ ଐତିହ୍ୟ ବିଷୟରେ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ।
ଭୁବନେଶ୍ୱରକୁ “ଭାରତର ମନ୍ଦିର ମାଳିନୀ ନଗରୀ” ଭାବେ ବର୍ଣ୍ଣନା କରି ରାଜ୍ୟପାଳ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର ଓ ପରଶୁରାମେଶ୍ୱର ମନ୍ଦିର ପରି କିର୍ତ୍ତୀରାଜିଗୁଡିକ ସ୍ଥାପତ୍ୟ ବିଦ୍ୟା ଓ ଆଧ୍ୟାତ୍ମିକ ଐତିହ୍ୟ ଉତ୍କର୍ଷତାର ପ୍ରତୀକ ବୋଲି କହିଥିଲେ।ପ୍ରାଚୀନ ଶିଶୁପାଳଗଡ଼ରୁ ଆରମ୍ଭ କରି ୧୯୪୮ରେ ଯୋଜନାବଦ୍ଧ ରାଜଧାନୀ ରୂପେ ପ୍ରତିଷ୍ଠା ପର୍ଯ୍ୟନ୍ତ ଏହାର କ୍ରମ ବିକାଶ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଭୁବନେଶ୍ୱର ବର୍ତ୍ତମାନ ଶାସନ, ଶିକ୍ଷା, ପ୍ରଯୁକ୍ତି ଓ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ରୂପେ ଉଭା ହୋଇଛି ।ଏହା “ଭାରତର କ୍ରୀଡ଼ା ରାଜଧାନୀ” ଭାବେ ମଧ୍ୟ ପରିଚିତ ହୋଇ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରି ଗୌରବ ଆଣୁଛି ।
ରାଜ୍ୟପାଳ ଅନୁକ୍ରମିକ ସରକାରଗମାନଙ୍କର ଯୋଜନାବଦ୍ଧ ସହରାଞ୍ଚଳ ବିକାଶକୁ ପ୍ରଶଂସା କରି ସ୍ମାର୍ଟ ସିଟି ମିଶନ, ଭିତ୍ତିଭୂମି ବିସ୍ତାର ଓ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପଗୁଡିକୁ ପ୍ରଶଂସା କରିଥିଲେ ।
ନାଗରିକ ସେବା ଓ ଆବର୍ଜନା ପରିଚାଳନା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମର ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ ନାଗରିକମାନଙ୍କୁ ସ୍ୱଚ୍ଛତା ଅଭିଯାନରେ ସହଯୋଗ କରି ସ୍ୱଚ୍ଛ ସର୍ବେକ୍ଷଣରେ ଶ୍ରେଷ୍ଠ ସ୍ଥାନ ହାସଲ ପାଇଁ ଆହ୍ୱାନ ଜଣାଇଥିଲେ।ରାଜଧାନୀର ଭବିଷ୍ୟତ ଦୃଷ୍ଟିକୋଣକୁ ପୁନଃନିଶ୍ଚିତ କରିବା ଦିଗରେ ଏହାର ଅନନ୍ୟ ପରିଚୟର ସଂରକ୍ଷଣ କରି ପ୍ରଗତିକୁ ସ୍ୱାଗତ କରିବା ଏବଂ ସାମୁହିକ ପ୍ରୟାସରେ ପରବର୍ତ୍ତୀ ପିଢ଼ି ପାଇଁ ଏକ ସ୍ଥାୟୀ, ସମାବେଶୀ ଓ ଭବିଷ୍ୟତମୁଖୀ ରାଜଧାନୀ ଗଠନ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ସନତ ମିଶ୍ର ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଶେଷରେ କମିଶନର ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ। ଡେପୁଟି ମେୟର ମଞ୍ଜୁଲତା କହଁର ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଏବଂ ସମାଜର ମହନୀୟ ସେବା କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ/ ସମ୍ବର୍ଦ୍ଧିତ କରାଯାଇଥିଲା I


