ଓଏମ୍ସି ପକ୍ଷରୁ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ
1 min read
ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମ୍ସି) ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଇନ୍ସ ସେଫ୍ଟି (ଦକ୍ଷିଣ ପୂର୍ବ ମଣ୍ଡଳ) ରାଞ୍ଚି ଉପମହାନିର୍ଦ୍ଦେଶକ ଡା. ଶ୍ୟାମ ସୁନ୍ଦର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଉପସ୍ଥିତ ଥିଲେ।
ବୈଠକରେ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା, କଳ୍ୟାଣମୂଳକ ବ୍ୟବସ୍ଥା, ମାଇନ୍ସ ସେଫ୍ଟି ବିଷୟରେ ୧୨ତମ ଜାତୀୟ ସମ୍ମେଳନର ସୁପାରିସଗୁଡ଼ିକର କାର୍ଯ୍ୟାନ୍ବୟନ ଓ ବିଦ୍ୟୁତ୍, ଯାନ୍ତ୍ରିକ ଓ ଖଣି ସୁରକ୍ଷା ସମ୍ପର୍କିତ ପ୍ରଚଳିତ ଆଇନଗତ ବ୍ୟବସ୍ଥାର ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଡିଜିଏମ୍ଏସ୍ ପକ୍ଷରୁ ଏନ୍. ବାଲାସୁବ୍ରମଣ୍ୟମ, ଏ. କେ. ମିଶ୍ର, ଟି. ହରି ପ୍ରସାଦ ଓ ଉ. ଶିବ ଶଙ୍କର ପ୍ରମୁଖ ଯୋଗ ଦେଇଥିଲେ। ଓଏମ୍ସି ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଖୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ ପାଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତାଲତ ଆଫ୍ରିନ୍, ସିଜିଏମ୍(ପ୍ରଡକ୍ସନ୍) ରାଜେଶ ମିଶ୍ର, ଜିଏମ୍(ଏଚ୍ଆର୍) ମଲୟ କର ଏବଂ ଏଜିଏମ୍ (ମାଇନ୍ସ ସେଫ୍ଟି) ଅନୁରାଗ ଓଝାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଖଣି ଅଞ୍ଚଳରୁ ପ୍ରାୟ ୧୮ ଜଣ ଶ୍ରମିକ ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିଥିଲେ।


