March 14, 2026

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ

1 min read

ମାଲକାନଗିରି: ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ରେଡ୍‌ କାର୍ପେଟ ବିଛାଇ ଅଣାଯିବ ବୋଲି କୁହାଯାଇଥିଲା। ଧାର୍ଯ୍ୟ ସମୟସୀମା ପାଖେଇ ଆସୁଥିବା ବେଳେ ମାଓବାଦୀମାନେ ଜଙ୍ଗଲରୁ ବାହାରି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଏହା ମଧ୍ୟରେ ମାଓବାଦୀ ଡିଭିଜନ ସଚିବ ରାଣୀତା ଏକ ପ୍ରେସ୍‌ ବିବୃତି ଜାରିକରି ଭିନ୍ନ ମତ ରଖିଛନ୍ତି। ସେ ଆତ୍ମସମର୍ପଣକୁ ନା କରି ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ସାଥୀ କମ୍ରେଡ୍‌ମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ, ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆମ ସଂଗଠନ କେବେ ବିଲୁପ୍ତ ହେବ ନାହିଁ। ଶହୀଦ ନେତାଙ୍କ ସଂଘର୍ଷକୁ କେବେ ଭୁଲିହେବ ନାହିଁ। ଆମେ ଭାରତର ସବୁ ସ୍ଥାନରେ ହିଂସା ଘଟାଇବୁ। ଯେଉଁମାନେ ଆମକୁ ଅଟକାଇବେ ସେମାନଙ୍କୁ ଦଣ୍ଡ ଦିଆଯିବ। ଆମ ଲଢ଼େଇ ଜାରି ରହିବ ଓ ସରକାର ଏହି ନିନ୍ଦନୀୟ କାର୍ଯ୍ୟର ପରିଣାମ ମଧ୍ୟ ଭୋଗିବେ। ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ଭିରୁ। ସରକାର ଓ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ଆମ ଲଢ଼େଇ ସିଧାସଳଖ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ୩୧ ମାର୍ଚ୍ଚ ସୁଦ୍ଧା ମାଓବାଦୀମୁକ୍ତ ହେବା ନେଇ ଯେଉଁ ଆଶା ପ୍ରକଟ କରାଯାଉଥିଲା ତାହା ପୁଣି ଘୁଞ୍ଚିଲା ବୋଲି ଲୋକେ ଆଲୋଚନା କରୁଛନ୍ତି। ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିବ ଚର୍ଚ୍ଚା ଜୋର ଧରିଛି।