February 14, 2026

ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି କମିଶନରେଟ୍ ପୁଲିସ

1 min read

କଟକ: ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି କମିଶନରେଟ୍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି। ଚମ୍ପଟ ମାରିଥିବା କଏଦୀ ଜଣକ ମଧୁକାନ୍ତ ରାଣା। ଶନିବାର କଏଦୀ ଜଣକୁ ଉତ୍ତରପ୍ରଦେଶରୁ ଗିରଫ କରିଛି କମିଶନରେଟ ପୁଲିସ।

କିଛିଦିନ ପୂର୍ବେ ଦୁଇ ବିଚାରାଧୀନ ବନ୍ଦୀ ସୁଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିବା ଘଟଣା ସମ୍ନାକୁ ଆସିଥିଲା । ସେଲ୍‌ର ଲୁହା ରଡ କାଟିବା ପାଇଁ ଏକାଧିକ ନୂଆ ଆରି ବ୍ୟବହାର ହୋଇଥିବା ଏବଂ ଏହାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଲୁଚା ଯାଇ ରଖାଯାଇଥିବା ସୂଚନା ମିଳିଥିଲା । ସେହିପରି ଲୁହାରଡ଼ କାଟିବା ସମୟରେ ଯେଭଳି ଶବ୍ଦ ନ ହେବ ସେଥିପାଇଁ କୌଣସି ଉନ୍ନତ ଜ୍ଞାନକୌଶଳ ବଦଳରେ ଦରଜ ଉପଶମ ପାଇଁ ବ୍ୟବହାର ହେଉଥିବା ମଲମ ବା ଜେଲ୍‌ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ସେହିପରି ଓଜନ କମାଇବା ପାଇଁ କିଛି ଦିନ ପୂର୍ବରୁ ଏମାନେ କମ ପରିମାଣର ଖାଦ୍ୟ ଖାଉଥିବା ବେଳେ ପାଣି ଅଧିକ ପିଉଥିଲେ। ଏପରିକି ଫେରାର ପୂର୍ବ ରାତିସାରା ଆଦୌ ଶୋଇ ନଥିବା ମଧ୍ୟ ସୂଚନା ରହିଥିଲା। ଗୋଟିକ ପରେ ଗୋଟିଏ ଏତେସବୁ ଘଟଣା ଘଟି ଚାଲିଥିଲେ ମଧ୍ୟ ଜେଲ କର୍ତ୍ତୃପକ୍ଷ ଏସବୁର ସାମାନ୍ୟତମ ସୁରାକ ପାଇନଥିଲେ ନା ଜାଣିଶୁଣି ଏସବୁକୁ ଚପାଇ ରଖିଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିଲା ।