ଶ୍ରୀରାମ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି
1 min read
ଘୁ.ଉଦୟଗିରି: ସ୍ଥାନୀୟ ଏନଏସି ର ୧ନଂ ୱାର୍ଡର କକଟି ପଦାସାହିରେ ଅବସ୍ଥିତ ଶ୍ରୀରାମ ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ ମନ୍ଦିର ପରିସରକୁ ପ୍ରବେଶ କରି ଦାନ ବାକ୍ସ ଥିବା ଘର କବାଟ ଖୋଲି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ଚୋରି କରିନେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିରର ଘର କବାଟ ଭାଙ୍ଗି ଦାନ ବାକ୍ସକୁ ବାହାରକୁ ଆଣିଥିଲେ। ପରେ ବାକ୍ସର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ନେଇ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ସକାଳୁ କିଛି ସ୍ଥାନୀୟ ଲୋକ ଘଟଣାଟି ଦେଖି ତୁରନ୍ତ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ।
ଘଟଣା ସମ୍ପର୍କରେ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସାରା ଅଞ୍ଚଳରେ ଭକ୍ତମାନଙ୍କ ମନରେ ପ୍ରବଳ ଆଘାତ ଓ ଅସନ୍ତୋଷ ସୃଷ୍ଟି କରିଛି। ଘଟଣାକୁ ଗୁରୁତ୍ୱ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିବା ସୂଚନା ମିଳିଛି। ସେପଟେ ଥାନାରେ ଏତଲା ଦେଇଥିବା କମିଟି ସଭାପତି ସନ୍ତୋଷ କୁମାର ବାଘ ଏହି ଘଟଣା ସମ୍ପର୍କରେ ପୁଲିସକୁ ସମସ୍ତ ତଥ୍ୟ ଜଣାଇଥିବା କହିଛନ୍ତି। ପୁଲିସ ଅଧିକ ତଦନ୍ତ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।


