January 23, 2026

୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି ଗତ ୭୨ ବର୍ଷର ରେକର୍ଡ ଭାଙ୍ଗିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ଏକ ସପ୍ତାହ ହେବ ଝାରସୁଗୁଡ଼ା ଜିଲାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀରୁ ଉପରକୁ ଯାଉ ନ ଥିବା ବେଳେ ଗୁରୁବାର ରାତିରେ ପ୍ରବଳ ଶୀତ ଲହରି ସାଙ୍ଗକୁ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି ଆସିଥିଲା। ଯାହାଦ୍ୱାରା ଏହି ଶୀତ ଏବଂ ପ୍ରବଳ ଥଣ୍ଡା ଦ୍ୱାରା ଜିଲାରେ ସାଧାରଣ ଜୀବନଯାପନ ବହୁମାତ୍ରାରେ ପ୍ରଭାବିତ ହେବା ସାଙ୍ଗକୁ ଶୀତ ପ୍ରଭାବରେ ବ୍ରଜରାଜନଗର ଅଞ୍ଚଳର ଜଣେ ବୃଦ୍ଧଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ରାତି ପ୍ରାୟ ୯ଟା ବେଳକୁ ଝାରସୁଗୁଡ଼ା ସହରର ରାସ୍ତା ପ୍ରାୟ ଖାଲି ହୋଇଯାଉଥିବା ବେଳେ ସକାଳୁ ମଧ୍ୟ ଦୋକାନ ବଜାରଗୁଡ଼ିକ ସକାଳ ୯ଟା ପରେ ଖୋଲୁଛି। ଏହି ଶୀତ ଲହରି ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି।