ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ୍ ଦେବା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାରଣା
1 min read
ଭୁବନେଶ୍ୱର: ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି। ଏହାର ପ୍ରତିବାଦରେ ସୋମବାର ଦିନ ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ପାର୍କଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା।
ଅଖିଳ ଭାରତ କଂଗ୍ରେସ କମିଟି ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ଵରେ ଦଳୀୟ ନେତା ଏବଂ କର୍ମୀ ଧାରଣାରେ ବସିଥିଲେ।
ଜିଲ୍ଲା ସଭାପତି ପ୍ରକାଶ ଜେନା କହିଥିଲେ, କେନ୍ଦ୍ର ସରକାର ଚକ୍ରାନ୍ତ କରି ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦେଶର କୋଟି କୋଟି ଜନତାଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି। ଏହା କେବଳ ଏକ ନାମର ପରିବର୍ତ୍ତନ ନୁହେଁ, ଏହା ଗରିବ ହିତାଧିକାରୀଙ୍କ ଅଧିକାରକୁ ସଙ୍ଗୁଚିତ କରିବାର ଏକ ବଡ଼ ଷଡ଼ଯନ୍ତ୍ର। ଏହି ଆଇନକୁ ପୂର୍ବଭଳି ଅକ୍ଷୁର୍ଣ୍ଣ ରଖିବାକୁ ସେ ଦାବି କରିଥିଲେ।
ଧାରଣା ପରେ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଡିଏମଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, କିଶୋର ଜେନା, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ରାଜକିଶୋର ବାରିକ, ଦେବରାଜ ମିଶ୍ର, ପ୍ରକାଶ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଗୋପାଳ ଖଣ୍ଡେଲୱାଲ ପ୍ରମୁଖ ସାମିଲ ହୋଇଥିଲେ


