November 23, 2025

ରବିବାର ଭୋର ସମୟରେ ଲାଠିକଟାରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର

1 min read

ରାଉରକେଲା : ରବିବାର ଭୋର ସମୟରେ ଲାଠିକଟା କୁଚେଇତା ନିକଟରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି। ରାଉରକେଲାର ସ୍ୱତନ୍ତ୍ର ପୁଲିସକୁ ଚକମାଦେଇ ଖସି ପଳାଉଥିଲା ବେଳେ ପୁଲିସ ଗୁଳି ଚଳାଇଥିଲା। ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି। ଅନ୍ୟ ପାଞ୍ଚ ଜଣଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି।

ଏହି ଅପରାଧୀମାନେ କୋଇଡା ଓ ଅନ୍ୟାନ୍ୟ ଅଞ୍ଚଳରେ ଡକାୟତି କରି ଫେରାର ହୋଇ ଯାଉଥିଲେ। ନିକଟରେ ଲହୁଣୀପଡ଼ା ବରସୁଆଁ ଟ୍ରାନ୍ସପୋର୍ଟ ଅଫିସ ଓ କୋଇଡାର ଅନ୍ୟ ଏକ ଟ୍ରାନ୍ସପୋର୍ଟରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ସେମିତି ବଣାଇରେ ଜଣେ ବ୍ୟବସୟୀଙ୍କ ପରିବାରଙ୍କୁ ବାନ୍ଧି ଲୁଟପାଟ ଘଟଣାରେ ଏମାନଙ୍କ ଜଡିତ ଥିବା ଜଣାପଡିଛି।
ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ସାଇଡିଂ ନିକଟସ୍ଥ ବିଏନ୍‌ଆର୍‌ ଟ୍ରାନ୍ସପୋର୍ଟ ଅଫିସ୍‌ରେ ୮ରୁ ୧୦ ଜଣ ମୁଖାପିନ୍ଧା ଯୁବକ ହାତରେ ମାରଣାସ୍ତ୍ର ଧରି ପଶିଥିଲେ। କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଦେବା ସହ ଲୁଟ୍‌ପାଟ୍‌ କଲେ। ୩ ଲକ୍ଷ ୫୯ ହଜାର ଧରି ଫେରାର ହୋଇଯାଇଥିଲେ। ଗତ ୧୯ ତାରିଖ ରାତିରେ ସମାନଢଙ୍ଗରେ ଡକାୟତମାନେ କୋଇଡ଼ା ବଜାରର ମା’ ତାରିଣୀ ଟ୍ରାନ୍ସପୋର୍ଟରୁ ଲୁଟ୍‌ପାଟ୍‌ କରିଥିଲେ। ବନ୍ଧୁକ ଦେଖାଇ ଲୁଟି‌ ନେଇଥିଲେ ସାଢ଼େ ୩ ଲକ୍ଷ ଟଙ୍କା। କୋଇଡ଼ା ରେଙ୍ଗାଲବେଡ଼ାରେ ଦୁଇ ଗାଡ଼ିମାଲିକଙ୍କୁ ବନ୍ଧୁକ ଦେଖାଇ ଦୁଇଲକ୍ଷ ଲେଖାଏଁ, ମୋଟ ୪ ଲକ୍ଷ ଲୁଟିନେଇ ଚମ୍ପଟ ମାରିଥିଲେ। ସେମାନେ ପୁଲିସକୁ ଖାତିର ନକରି ବେଧଡ଼କ ଲୁଟ୍ କରୁଥିଲେ। ଖଣି ଅଞ୍ଚଳରେ ଏମିତି ଗୋଟିଏ ପରେ ଗୋଟିଏ ଟ୍ରାନ୍ସପୋର୍ଟ ଅଫିସକୁ ଟାର୍ଗେଟ୍‌ କରୁଥିଲେ ଅପରାଧୀ। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି‌ ହେଉଥିବାରୁ ଭୟରେ ଥିଲେ ଉଭୟ ମାଲିକ ଓ କର୍ମଚାରୀ।

ବାଙ୍କୋର ବରସୁଆଁ ଡକାୟତି ଏବଂ କୋଇଡାରେ ଦୁଇଟି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କୁଖ୍ୟାତ ଚାଣ୍ଡେ (ଚନ୍ଦା ନାୟକ) ଗ୍ୟାଙ୍ଗ ଗିରଫ ହୋଇଛି ।