ତୁମୁଡିବନ୍ଧରେ ଥିବା ଝିରିପାଣି ପଞ୍ଚାୟତ ପରିସରରେ ବୁଧବାର ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ
1 min read
ତୁମୁଡିବନ୍ଧ: କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଭିତର ଅଞ୍ଚଳରେ ଥିବା ଝିରିପାଣି ପଞ୍ଚାୟତ ପରିସରରେ ବୁଧବାର ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ ହୋଇଯାଇଛି।
ତୁମୁଡିବନ୍ଧ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସନ୍ଥ କବି ଭୀମ ଭୋଇଙ୍କ ଫଟୋଚିତ୍ରରେ ଧୂପ ଦୀପ ଜାଳି ଶିବିରକୁ ଉଦ୍ଘାଟନ କରିଥିଲେ। ଏଥିରେ ଝିରିପାଣି ସରପଞ୍ଚ କାନ୍ତି ପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଶିବିରରେ ମୋଟ୍ ୨୩୬ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତରମାନେ ବିଭିନ୍ନ ବିଭାଗ ଅନୁସାରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ। ଶିବିର ଶେଷରେ, ୬ ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଏବଂ ୨ ଜଣଙ୍କୁ ଆଶା ବାଡ଼ି ପ୍ରଦାନ କରାଯାଇଥିଲା। ଝିରିପାଣି ଭଳି ଭିତର ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ ହୋଇଥିବାରୁ ଅଞ୍ଚଳବାସୀ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।


