October 14, 2025

ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର ଶୁଭାରମ୍ଭ

1 min read

ଭାରତରେ ୬ ବର୍ଷ ପାଇଁ ପ୍ରତି ବର୍ଷ ଯୋଜନାରେ ଖର୍ଚ୍ଚ ହେବ ୨୪ ହଜାର କୋଟି ଟଙ୍କା
କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲା ଯୋଜନାରେ ସାମିଲ
ସମ୍ୱଲପୁରରେ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରରେ ପାଇକାରୀ ମାଛ ମାର୍କେଟ ପାଇଁ ଶିଳାନ୍ୟାସ
ସାରା ଭାରତରେ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ଏବଂ ‘ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ’ ଆରମ୍ଭ ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ହୋଇଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ଏହିସବୁ ଯୋଜନାଗୁଡ଼ିକ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଭାରତର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ଆରମ୍ଭ କରାଯାଇଛି। ଏଥିରେ ଓଡ଼ିଶା କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ସାମିଲ ହୋଇଛି। ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଦେଶର ୧.୭ କୋଟି ଚାଷୀ ଉପକୃତ ହେବେ।

“କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡ଼ିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା। ଆଜି ବି ଓଡ଼ିଶାର ୬୦ ପ୍ରତିଶତରୁ ଅଧିକ ଏବଂ ଦେଶର ପ୍ରାୟ ୫୦ ପ୍ରତିଶତ ଲୋକେ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରିଥାନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକ ଆତ୍ମନିର୍ଭର କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ। ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ଦ୍ଵାରା ଚାଷୀ ପରିବାର ସ୍ୱଚ୍ଛଳ ହେବେ ଏବଂ ସେମାନଙ୍କ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ୱଲପୁରର ବସନ୍ତପୁରରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରାରେ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, “ଆଜି ଆମେ ଧାନରେ ଆତ୍ମନିର୍ଭର ହୋଇସାରିଛୁ। ଏବେ ଡାଲି ଓ ତୈଳବୀଜରେ ଆତ୍ମନିର୍ଭର ହେବାର ସମୟ ଆସିଛି। ଏଥିସହିତ ନୀଳ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହା ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ସହିତ ସେମାନଙ୍କୁ ସଶକ୍ତ କରିବ।”

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟିର କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, ସମବାୟ ବିଭାଗେ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍‍, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ଯୋଗ ଦେଇଥିଲେ।