ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ
1 min read
ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ୍-ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱରର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି। ଏହାସହ ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି। ଗଂଜାମ ଜିଲା ପୋଲସରାରୁ ଗୁପ୍ତ ରଞ୍ଜନ ନାୟକଙ୍କୁ ଅଟକ ରଖି କ୍ରାଇମ୍ବ୍ରାଞ୍ଚ ଜେରା କରୁଛି। କଟକ ବିଦ୍ୟାଧରପୁରର ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରି ବ୍ରହ୍ମପୁର କୋର୍ଟଚାଲାଣ କରାଯାଇଛି। ଏହା ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ କରାଯାଇଥିଲା।
ଏହି ମାମଲାରେ ପ୍ରଶ୍ନପତ୍ର ଲିକ୍ ଓ ଜାଲିଆତିର ଅଭିଯୋଗ ସାମ୍ନାକୁ ଆସିଥିଲା। ଗତ ସେପ୍ଟେମ୍ବର ୨୯ରେ ବ୍ରହ୍ମପୁର ପୋଲିସ ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା, ଯେଉଁମାନେ ଶ୍ରୀକାକୁଲମରେ ପ୍ରଶ୍ନପତ୍ର ଓ ଉତ୍ତର ଅଭ୍ୟାସ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ପରୀକ୍ଷାର୍ଥୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଇଥିବା ଚର୍ଚ୍ଚା ହେଉଛି। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି।
ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି) ପରବର୍ତ୍ତୀ ତାରିଖ ଘୋଷଣା କରିବ। କ୍ରାଇମ୍ବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ ତଦନ୍ତ ଦାୟିତ୍ବରେ ଥିବା ବେଳେ ଏସପି ଅନିଲ ବେଉରିଆ ସୁପରଭାଇଜର ଭାବେ କାର୍ଯ୍ୟ କରୁଛନ୍ତି। ଏହି କେଳେଙ୍କାରୀରେ ରାଜନେତା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସନ୍ଦେହ ହେଉଛି। କ୍ରାଇମ୍ବ୍ରାଞ୍ଚ ସିଲିକନ୍ ଟେକ୍ ଲ୍ୟାବ୍ ଓ ପଞ୍ଚସଫ୍ଟ ଅଫିସରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ଅଫିସଗୁଡ଼ିକୁ ସିଲ୍ କରିଛି। ମାଷ୍ଟରମାଇଣ୍ଡ ଏବେ ବି ଫେରାର ଥିବା ବେଳେ ତଦନ୍ତ ଜାରି ରହିଛି।