December 12, 2025

ଗୁଳିବିନିମୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି

1 min read

ମାଲକାନଗିରି: ସୁରକ୍ଷାକର୍ମୀମାନେ ଯେଉଁ ଭଳି ନକ୍ସଲମାନଙ୍କୁ ନିପାତ କରୁଛନ୍ତି ଓ ନକ୍ସଲମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି, ତାହା ଦେଖିଲେ ଲାଗୁଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିବା ଟାର୍ଗେଟ ପୂରଣ ହେବ। ୨୦୨୬ ମାର୍ଚ୍ଚ ସୁଦ୍ଧା ନକସଲମୁକ୍ତ ଭାରତ ଗଠନ ସମ୍ଭବ ହେବ।

ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତା ରାମ ରାଜୁ ଜିଲ୍ଲା ସୀମାନ୍ତରେ ଆଜି ସକାଳେ ପୁଣି ଗୁଳିବିନିମୟ ଘଟିଛି। ଏଜି ଗୁଳିବିନିମୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆନ୍ଧ୍ର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ମାରେଡୁମଲ୍ଲି ଥାନା ଅଂଚଳର ଜିଏମ ଭାଲସା ଗ୍ରାମ୍ୟ ଜଙ୍ଗଲରେ କିଛି ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ ସେହି ଅଞ୍ଚଳକୁ ଚଢ଼ାଉ କରିଥିଲେ। ଆଜି ଭୋର ସକାଳୁ ନକ୍ସଲ ଏବଂ ଯବାନ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯବାନ ୭ ଜଣ ମାଓବାଦୀଙ୍କ ଶବ ଜବତ କରିଛି। ମୃତ ନକ୍ସଲ ମଧ୍ୟରେ ଆନ୍ଧ୍ର- ଓଡ଼ିଶା ବର୍ଡର ଡିଭିଜନାଲ କମିଟି ମେମ୍ବର ଏମ ଜାଗା ରାଓ ଓରଫ ଟେକ ଶଙ୍କର,ଡିଭିଜନାଲ କମିଟି ମେମ୍ବର ସୀତା ଓରଫ ଜ୍ୟୋତି ସମେତ ୫ ଜଣ ଏସିଏମ ନିହତ ହୋଇଥିବା ପୁଲିସ କହିଛି।

ପ୍ରକାଶ ଥାଉକି ଗତକାଲି ମେରଡୁମଲ୍ଲି ଜଙ୍ଗଲରେ ଏନକାଉଣ୍ଟରରେ ୬ ଜଣ ନକ୍ସଲ ନିହତ ହୋଇଥିଲେ। ଏହି ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ ନେତା ହିଡ଼ମା ସହ ତାଙ୍କ ପତ୍ନୀ ରାଜେ ଓ ଅନ୍ୟ ୪ ଜଣ ନିହତ ହୋଇଥିଲେ। ଆଜିର ଏନକାଉଣ୍ଟର ରିପୋର୍ଟ ଯବାନ ଫେରିବା ପରେ ଦିଆଯିବ ବୋଲି ଆନ୍ଧ୍ର ପୁଲିସ କହିଛି।

ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଯବାନଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା। ହିଡ଼ମାଙ୍କ ପତ୍ନୀ ରାଜେଙ୍କ ସମେତ ମୋଟ ୬ ନକ୍ସଲ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଆଲ୍ଲୁର ସୀତାରାମ ରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି। ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ୍‌ ଜୋର୍‌ଦାର ପରେ ଆନ୍ଧ୍ର ଜଙ୍ଗଲରେ ଆତ୍ମଗୋପନ କରିବାକୁ ହିଡ଼ମା ଆସୁଥିବା ସମୟରେ ଗ୍ରେହାଉଣ୍ଡ୍‌ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛି। ନିହତ ନକ୍ସଲମାନେ ହେଲେ କେନ୍ଦ୍ରୀୟ କମିଟି ସଦସ୍ୟ ମାଡ଼ବି ହିଡ଼ମା, ହିଡ଼ମାଙ୍କ ପତ୍ନୀ ତଥା ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ୍‌ କମିଟି ସଦସ୍ୟ ମାଡକମ ରାଜେ, ଡିଭିଜିନାଲ୍‌ କମିଟି ମେମ୍ବର ଲାକମାଲ, ପିପିସିଏମ୍‌ କମଳୁ, ମାଲା ଓ ହିଡ଼ମାର ଅଙ୍ଗରକ୍ଷୀ ଦେବେ। ହିଡ଼ମାର ମୁଣ୍ଡ ଉପରେ ୫ ରାଜ୍ୟରେ ଅଢ଼େଇ କୋଟି ଏବଂ ତାଙ୍କ ପତ୍ନୀ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଯବାନ ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ୍‌, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ସିଙ୍ଗଲ୍‌ ବୋର ବନ୍ଧୁକ ଓ ବିପୁଳ ବିସ୍ଫୋରକ ଜବତ କରିଛନ୍ତି।