ଜି.ଉଦୟଗିରିରେ ୩.୧ ଡିଗ୍ରୀ
1 min read
ଜି.ଉଦୟଗିରି: ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ କୋହଲା ପବନ ଯୋଗୁ ଗୁରୁବାର ସନ୍ଧ୍ୟା ପୂର୍ବରୁ ସହର ଜନ ଶୂନ୍ୟ ହୋଇଥିଲା।
ଶୁକ୍ରବାର ପାଣିପାଗ ବିଭାଗର ସୂଚନା ଅନୁସାରେ ସକାଳ ସୁଧା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୫ ଡିଗ୍ରୀ ଦାରିଙ୍ଗବାଡ଼ିରେ ୫.୬ ଡିଗ୍ରୀ ରହିଛି।
ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ନେଇ ଅଞ୍ଚଳବାସୀ କହୁଛନ୍ତି। ଅତ୍ୟଧିକ ଥଣ୍ଡା ଯୋଗୁ ସକାଳ ୧୦ଟା ଯାଏ ଘରୁ ବାହାରିବା ମୁସ୍କିଲ ହେଉଛି।
ଜି.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ପ୍ରଭାବିତ ହେଉଛନ୍ତି। ଏଠାରେ ଶୀତ ଋତୁରେ ଏମିତି ଥଣ୍ଡା ହେବାର ନଜିର ରହିଛି। କିନ୍ତୁ ତାପମାପକ ଯନ୍ତ୍ର ନ ଥିବା ଯୋଗୁ ପୂର୍ବରୁ ଏଠାକାର ଶୀତ ଦିନେ ତାପମାତ୍ରା ଲୋକ ଲୋଚନକୁ ଆସିପାରୁ ନ ଥିଲା। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ଦାବି ହେଉଛି। ଜି.ଉଦୟଗିରିରେ ବିଗତ ୬ ଦିନ ହେବ ୫ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଏପଟେ ଶୀତର ମଜା ନେବା ପାଇଁ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି।


