January 24, 2026

ଆମେରିକାରୁ ବିଦା ହେଲେ ବେଆଇନ ଭାବେ ରହୁଥିବା ୨୦୫ ଜଣ ପ୍ରବାସୀ ଭାରତୀୟ

1 min read

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାପରେ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କ ପ୍ରତି ନିୟମ କଠୋର ହୋଇଛି। ସେମାନଙ୍କୁ ବହିଷ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଆମେରିକାରୁ ବିଦା ହୋଇଛନ୍ତି ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟ। ମଙ୍ଗଳବାର ଆମେରିକୀୟ ସେନାର ଏକ ବିମାନ ୨୦୫ ଜଣ ପ୍ରବାସୀ ଭାରତୀୟଙ୍କୁ ନେଇ ଭାରତ ଅଭିମୁଖେ ଆସୁଛି।

ପ୍ରବାସୀ ଭାରତୀୟଙ୍କୁ ନେଇ ସି-୧୭ ବିମାନ ଆମେରିକାର ଟେକ୍ସାସରୁ ଉଡ଼ାଣ ଭରିଛି। ଏହା ମଙ୍ଗଳବାର ରାତିରେ ଭାରତରେ ପହଞ୍ଚିବ।

ଆମେରିକାର ବିଦେଶ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ ୧୮ ହଜାରରୁ ଅଧିକ ଭାରତୀୟ ବେଆଇନ ଭାବେ ଆମେରିକାରେ ରହୁଛନ୍ତି। ସେମାନଙ୍କ ଭିସା ଅବଧି ଶେଷ ହେବା ପରେ ମଧ୍ୟ ସେମାନେ ଆମେରିକାରେ ରହୁଛନ୍ତି। ଏହାସହ କିଛି ଭାରତୀୟ ମେକ୍ସିକୋ ଓ କାନାଡା ପଟୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରି ଧରା ପଡ଼ିଛନ୍ତି।

ଭାରତ ସରକାର ପ୍ରବାସୀ ଭାରତୀୟଙ୍କୁ ପୁଣି ସ୍ଵଦେଶ ଫେରାଇ ଆଣିବା ପାଇଁ ଆମେରିକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଥିଲେ।

ଆମେରିକାର ଟେକ୍ସାସ ଏବଂ କାଲିଫର୍ଣ୍ଣିଆ ସମେତ ଅନ୍ୟ କିଛି ରାଜ୍ୟରୁ ୫ ହଜାରରୁ ଅଧିକ ପ୍ରବାସୀଙ୍କୁ ଚିହ୍ନଟ କରାଯାଇ ବାହାର କରାଯାଇଛି। ବର୍ତ୍ତମାନ ସେନା ବିମାନ ଜରିଆରେ ଗ୍ଵାଟେମାଲା, ପେରୁ ଏବଂ ମେକ୍ସିକୋର ବେଆଇନ ପ୍ରବାସୀମାନଙ୍କୁ ନିଜ ନିଜ ଦେଶକୁ ପଠାଯାଇଛି।