ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗକୁ ନେଇ ଜାନୁଆରି ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି
1 min read
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗକୁ ନେଇ କଟକ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ୨୦୨୬, ଜାନୁଆରି ୩୦ର ରାୟକୁ ଚାଲେଞ୍ଜ କରି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅନ୍ୟ ଦୁଇଜଣ ଦାୟର କରିଥିବା ମାମଲାରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ୨୦୨୭, ଜାନୁଆରି ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ପୂର୍ବରୁ ୨୦୨୬, ଜୁନ ୧୫ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ସଞ୍ଜୀବ ସଚଦେବାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବମହାନ୍ତି, ସୁଜିତ ଦଳାଇ, ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲା ଉପରେ ରହିତାଦେଶ ଜାରି କରିଥିଲେ
ଏଠାରେ ସୂଚନା ଯୋଗ୍ୟ ଯେ ଜୁନ ୧୫ରେ ସୁପ୍ରିମକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷ ଓଡ଼ିଶା ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରିଥିଲେ। ଏଥି ସହିତ କଟକ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ଜାରି କରିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲାରେ ଅନୁଭବ ଦାୟର କରିଥିବା ଡିସଚାର୍ଜ ପିଟିସନ ୨୦୨୪ରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ୨୦୨୬, ଜାନୁଆରି ୩୦ରେ ଖାରଜ କରିଥିଲେ। ଡିସଚାର୍ଜ ପିଟିସନ ଖାରଜ ସଂପର୍କିତ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ କାଏମ ରହିଥିଲା। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଅନୁଭବ ଓ ଅନ୍ୟ ଦୁଇ ଜଣ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।


