କାଶ୍ମୀରରୁ କାବୁଲ: ଆତଙ୍କବାଦର ପେଣ୍ଠ ପାକିସ୍ତାନ
1 min read
ନୂଆଦିଲ୍ଲୀ, ୩୦ ଏପ୍ରିଲ: ଆତଙ୍କବାଦର ପ୍ରୋତ୍ସାହନ, ଶରଣ ଓ ରପ୍ତାନି ପେଣ୍ଠ ଭାବେ ପାକିସ୍ତାନ ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ବିଶ୍ୱର ସବୁଠୁ ବିପଜ୍ଜନକ ଏବଂ ଅସ୍ଥିରତା ସୃଷ୍ଟିକାରୀ ଆତଙ୍କବାଦୀ ସଂଗଠନ ପାକିସ୍ତାନ ମାଟିରେ ଥିବା ଅତୀତରେ ଅନେକ ପ୍ରମାଣ ମିଳିଛି। ଦୀର୍ଘ ଦଶନ୍ଧି ହେବ ପାକିସ୍ତାନ ମାଟି ସୀମାପାର୍ ଆତଙ୍କବାଦ, ଯୁଦ୍ଧ ପରିସ୍ଥିତି ଏବଂ କଠୋରପନ୍ଥୀ ବିଚାରର ଉତ୍ପତ୍ତି ସ୍ଥଳ ଭାବେ ବ୍ୟବହୃତ ହୋଇଆସିଛି। ୨୦୦୮ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନ ମାଟିରେ ଥିବା ଇସଲାମୀୟ ଆତଙ୍କବାଦୀ ସଂଗଠନ ଲଶ୍କର ଏ ତଏବାର ହାତ ଥିଲା ଏବଂ ପାକିସ୍ତାନୀ ସରକାରଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ରହିଥିବା ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ୨୦୧୮ରେ ସ୍ୱୀକାର କରିଥିଲେ।
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାମୁଖ୍ୟ ପର୍ବେଜ୍ ମୁଶରଫ୍ ମଧ୍ୟ ସ୍ୱୀକାର କରିଥିଲେ ଯେ କାଶ୍ମୀରରେ ଭାରତ ବିରୋଧୀ ଲଢ଼େଇ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଙ୍କର ସେନାବାହିନୀ ତାଲିମ ଦେଇଥିଲା। ଏଥିପ୍ରତି ପାକ୍ ସରକାର ଆଖି ବୁଜି ଦେଇଥିଲେ କାରଣ ସେ ଚାହୁଁଥିଲେ ଯେ ଭାରତ ଆଲୋଚନା ପାଇଁ ବାଧ୍ୟ ହେଉ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ଉପସ୍ଥାପନ କରୁ।
କିଛି ଦିନ ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ଏହା ସ୍ୱୀକାର କରିଥିଲେ ଯେ, ଆମେରିକା ନେତୃତ୍ୱାଧୀନ ବିଦେଶ ନୀତି ନିର୍ଣ୍ଣୟ କାରଣରୁ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତାଙ୍କ ଦେଶ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ ଯୋଗାଇ ଦେଇଥିଲା।
ପାକିସ୍ତାନର ଆଇଏସଆଇ (ଇଣ୍ଟର୍-ସର୍ଭିସେସ୍ ଇଣ୍ଟେଲିଜେନ୍ସ) ଆଫଗାନିସ୍ତାନ ତାଲିବାନ ଏବଂ ହକ୍କାନି ନେଟୱର୍କକୁ ସମର୍ଥନ କରୁଥିବା, ସେମାନଙ୍କୁ ପାଣ୍ଠି, ତାଲିମ ଏବଂ ନିରାପଦ ଆଶ୍ରୟ ପ୍ରଦାନ କରୁଥିବା ବ୍ୟାପକ ରେକର୍ଡ ରହିଛି । ୨୦୦୮ରେ କାବୁଲରେ ଭାରତୀୟ ଦୂତାବାସ ବୋମା ବିସ୍ଫୋରଣ ଏବଂ ୨୦୧୧ରେ କାବୁଲରେ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ସମେତ ଆଫଗାନିସ୍ତାନ ନାଗରିକ, ସରକାରୀ କର୍ମଚାରୀ ଏବଂ ଅନ୍ତର୍ଜାତୀୟ ବାହିନୀ ଉପରେ ଅନେକ ମରଣାନ୍ତକ ଆକ୍ରମଣ ପାଇଁ ଏହି ଗୋଷ୍ଠୀଗୁଡ଼ିକ ଦାୟୀ। ଦୂତାବାସରେ ହୋଇଥିବା ବିସ୍ଫୋରଣକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ବରିଷ୍ଠତମ ଅଧିକାରୀମାନେ ମଞ୍ଜୁରି ଦେଇଥିଲେ ଏବଂ ଏହାର ମାର୍ଗଦର୍ଶନ କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକା କାର୍ଲୋଟା ଗଲ୍ ତାଙ୍କ ପୁସ୍ତକରେ ଲେଖିଥିଲେ।
ଏପ୍ରିଲ୍ ୨୦୨୫ରେ, ମସ୍କୋ ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ଏକ ପାକିସ୍ତାନ ଲିଙ୍କ୍ ଉଭା ହୋଇଥିଲା। ରୁଷ କର୍ତ୍ତୃପକ୍ଷ ଏହାର ମାଷ୍ଟରମାଇଣ୍ଡ ହୋଇଥିବା ଜଣେ ତାଜିକିସ୍ତାନ ନାଗରିକକୁ ଚିହ୍ନଟ କରିଛନ୍ତି ଏବଂ ପାକିସ୍ତାନ ସହିତ ତା’ର ସମ୍ପର୍କକୁ ନେଇ ଅନୁସନ୍ଧାନ କରୁଛନ୍ତି । ଆକ୍ରମଣକାରୀମାନେ ପାକିସ୍ତାନୀ ନେଟୱାର୍କ ଠାରୁ ସାମଗ୍ରୀ କିମ୍ବା ଆଦର୍ଶଗତ ସମର୍ଥନ ପାଇଥାଇପାରନ୍ତି ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ ସ୍ଥିତ ସୁନ୍ନି ଉଗ୍ରବାଦୀ ଗୋଷ୍ଠୀ ଜୈସୁଲ୍-ଆଦଲ୍ ସିସ୍ତାନ ଏବଂ ବଲୁଚିସ୍ତାନ ପ୍ରଦେଶରେ ଇରାନୀୟ ସୁରକ୍ଷା ବାହିନୀ ଉପରେ ବାରମ୍ବାର ଆକ୍ରମଣ କରିଛି। ଏହାର ଜବାବରେ, ଇରାନ ୧୬ ଜାନୁଆରୀ ୨୦୨୪ରେ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଥିବା ଜୈସୁଲ୍-ଆଦଲ୍ର ଠିକଣାରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଥିଲା। ସୀମାପାର ଆକ୍ରମଣ କରୁଥିବା ସୁନ୍ନି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ବିଫଳ ହୋଇଛି ବୋଲି ଇରାନ ନିୟମିତ ଭାବେ ଅଭିଯୋଗ କରିଆସୁଛି।
ଚାରିଜଣ ବ୍ରିଟିଶ ଇସଲାମୀୟ ଆତଙ୍କବାଦୀଙ୍କ ଦ୍ୱାରା ୭ ଜୁଲାଇ ୨୦୦୫ ଲଣ୍ଡନ ବୋମା ବିସ୍ଫୋରଣ କରାଯାଇଥିଲା। ସେମାନେ ପାକିସ୍ତାନରେ ତାଲିମ ଏବଂ ପରାମର୍ଶ ନେଇଥିଲେ। ତିନିଜଣ ବୋମା ବିସ୍ଫୋରଣକାରୀ-ମହମ୍ମଦ ସିଦ୍ଦିକ ଖାନ, ଶେହଜାଦ ତନୱୀର ଏବଂ ଜର୍ମେନ ଲିଣ୍ଡସେ ୨୦୦୩ରୁ ୨୦୦୫ ମଧ୍ୟରେ ପାକିସ୍ତାନରେ ସମୟ ବିତାଇଥିଲେ।
ପାକିସ୍ତାନର ଆବୋଟ୍ଟାବାଦରେ ଅଲ-କାଏଦା ନେତା ଓସାମା ବିନ୍ ଲାଡେନକୁ ଆମେରିକୀୟ ସେନାବାହିନୀ ଚଢାଉ କରି ହତ୍ୟା କରିଥିଲେ। ଏହା ପାକିସ୍ତାନର ଆତଙ୍କବାଦ ବିରୋଧୀ ପ୍ରୟାସରେ ବ୍ୟବସ୍ଥିତ ବିଫଳତାକୁ ଉନ୍ମୋଚିତ କରିଥିଲା। ବିନ୍ ଲାଡେନ୍ ପାକିସ୍ତାନର ମିଲିଟାରୀ ଏକାଡେମୀ ନିକଟରେ ଏକ ପରିସରରେ ବର୍ଷ ବର୍ଷ ଧରି ଅଜ୍ଞାତ ଭାବରେ ରହୁଥିଲେ, ଯାହା ଆଇଏସଆଇର ସଂଯୋଗ ସନ୍ଦେହ ସୃଷ୍ଟି କରିଥିଲା।
ଢାକା ବୋମା ବିସ୍ଫୋରଣରେ ଜମାତ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ(ଜେଏମବି)ର ହାତ ଥିଲା। ଏଥିରେ ୨୦ ଜଣ ପଣବନ୍ଦୀ ପ୍ରାଣ ହରାଇଥିଲେ। ପାକିସ୍ତାନର ଆଇଏସଆଇ ଏମାନଙ୍କୁ ପାଣ୍ଠି ଓ ତାଲିମ ଦେଇଥିଲା। ୨୦୧୫ରେ ବାଂଲାଦେଶୀ କର୍ତ୍ତୃପକ୍ଷ ଜେଏମବି ଆତଙ୍କବାଦୀକୁ ଟଙ୍କା ଦେଉଥିବା ଅଭିଯୋଗରେ ପାକିସ୍ତାନୀ କୂଟନୀତିଜ୍ଞକୁ ଧରି ଦେଶାନ୍ତର କରିଥିଲେ। ବାଂଲାଦେଶର କକ୍ସ ବଜାରରେ ଶିବିରରେ ଜେଏମବି ସହାୟତାରେ ଆଇଏସଆଇ ୪୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତାଲିମ ଦେଇଥିବା ନେଇ ୨୦୨୦ରେ ଏକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଥିଲା। ଜେଏମବି ନେଟୱର୍କକୁ ଉପସାଗରୀୟ ଦେଶରେ ଥିବା ଏନଜିଓ ଏବଂ ପାକିସ୍ତାନୀ ମଧ୍ୟସ୍ଥମାନେ ପାଣ୍ଠି ଯୋଗାଉଥିଲେ, ପଶ୍ଚିମବଙ୍ଗ ଓ କେରଳ ଭଳି ରାଜ୍ୟରେ ଏମାନଙ୍କର ସୁପ୍ତ ଆତଙ୍କବାଦୀମାନେ ରହିଥିବା ସୂଚନା ମିଳିଥିଲା।
ପାକିସ୍ତାନର ପ୍ରତ୍ୟାଖ୍ୟାନ ପଛରେ ଏକ ସ୍ପଷ୍ଟ ବାସ୍ତବତା ରହିଛି, ଏହାର ସାମରିକ ଏବଂ ଗୁଇନ୍ଦା ନେଟୱର୍କ ସୈନିକମାନଙ୍କୁ ଜିହାଦି ପ୍ରଶିକ୍ଷକରେ ପରିଣତ କରିଛି ଏବଂ ସମଗ୍ର ଦକ୍ଷିଣ ଏସିଆରେ ଦଶନ୍ଧି ଦଶନ୍ଧି ଧରି ଆତଙ୍କକୁ ଇନ୍ଧନ ଯୋଗାଉଛି। ପାକିସ୍ତାନ ପଞ୍ଜାବ, ଖାଇବର ପଖତୁନଖୱା, ୱଜିରିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (ପିଓକେ) ପରି ପ୍ରଦେଶରେ ଆତଙ୍କବାଦୀ ତାଲିମ ଶିବିର ଆୟୋଜନ କରେ। ଲସ୍କର-ଏ-ତଏବା (ଏଲଇଟି), ଜୈସ-ଏ-ମହମ୍ମଦ (ଜେଇଏମ), ହିଜବୁଲ ମୁଜାହିଦ୍ଦିନ (ଏଚଏମ) ଏବଂ ଆଇଏସଆଇଏସ-ଖୋରାସାନ ଭଳି ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ଦ୍ୱାରା ପରିଚାଳିତ ଏହି ଶିବିରଗୁଡ଼ିକ ଉଗ୍ରବାଦ, ଅସ୍ତ୍ରଶସ୍ତ୍ର ତାଲିମ ଏବଂ ଆତ୍ମଘାତୀ ମିଶନ ପ୍ରସ୍ତୁତିର କେନ୍ଦ୍ର ଭାବେ କାର୍ଯ୍ୟ କରିଥାଏ। ପୂର୍ବତନ ପାକିସ୍ତାନୀ ସେନା କର୍ମଚାରୀମାନେ ପ୍ରାୟତଃ ପ୍ରଶିକ୍ଷଣରେ ସାହାଯ୍ୟ କରନ୍ତି, ପରିଚାଳନା ଘାତକତା ବୃଦ୍ଧି ପାଇଁ ସାମରିକ ବିଶେଷଜ୍ଞତା ପ୍ରଦାନ କରନ୍ତି।
ଆମେରିକାର ବୈଦେଶିକ ବିଭାଗ ଆତଙ୍କବାଦ ଉପରେ ଦେଶ ରିପୋର୍ଟ ୨୦୧୯ରେ ପାକିସ୍ତାନକୁ ଏପରି ଏକ ଦେଶ ଭାବେ ଚିହ୍ନଟ କରାଯାଇଛି, ଯାହା ‘‘କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ କେନ୍ଦ୍ରିତ ଆତଙ୍କବାଦୀ ଗୋଷ୍ଠୀ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ଭାବେ କାର୍ଯ୍ୟ ଜାରି ରଖିଛି।’’ ‘‘ପାକିସ୍ତାନ ସେନା ଓ ଆତଙ୍କବାଦ: ଏକ ବିପଜ୍ଜନକ ମେଣ୍ଟ’’ ରିପୋର୍ଟରେ ୟୁରୋପୀୟ ଫାଉଣ୍ଡେସନ୍ ପାକିସ୍ତାନର ସାମରିକ ପ୍ରତିଷ୍ଠାନ, ଗୁଇନ୍ଦା ସଂସ୍ଥା ଏବଂ ଧାର୍ମିକ କଠୋରପନ୍ଥୀ ଗୋଷ୍ଠୀ ନେତାଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ଉଜାଗର କରିଥିଲା। ବରିଷ୍ଠ ପାକ୍ ସେନା ଅଧିକାରୀ ବ୍ରିଗେଡିୟର ଶାହ ପାକିସ୍ତାନୀ ନ୍ୟୁଜ୍ ଚାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱା ପାଇଁ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସ୍ୱୀକାର କରିଥିଲେ। ଆଉ ଏକ ସାକ୍ଷାତକାରରେ ମୁଶରଫ୍ ସ୍ୱୀକାର କରିଥିଲେ ଯେ, ଭାରତୀୟ ସେନା ବିରୋଧରେ ଜାମ୍ମୁ ଓ କାଶ୍ମୀରରେ ଲଢ଼େଇ କରିବା ଲାଗି କାଶ୍ମୀର ଲୋକମାନଙ୍କୁ ତାଲିମ ଦିଆଯାଉଛି। ଏହାଛଡ଼ା ଜିହାଦୀ ଆତଙ୍କବାଦୀମାନଙ୍କୁ ପାକିସ୍ତାନରେ ନାୟକ ଭାବେ ବିବେଚନା କରାଯାଉଥିବା ସେ କହିଥିଲେ।